କଟକ, ୨ ମେ: ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରିଚାଳିତ ମାଟ୍ରିକ୍-୨୦୨୪ ପରୀକ୍ଷାର ଫଳାଫଳ ଆଜି ପ୍ରକାଶ ପାଇଛି। ଚଳିତ ବର୍ଷ ସମୁଦାୟ ପାସ୍ହାର ୯୫.୩୩ ପ୍ରତିଶତ ରହିଛି। ପୁନର୍ବାର ଛାତ୍ରୀମାନେ ସମସ୍ତ କ୍ଷେତ୍ରରେ ଛାତ୍ରମାନଙ୍କୁ ପଛରେ ପକାଇ ଆଗରେ ରହିଛନ୍ତି। ଛାତ୍ରୀମାନଙ୍କ ପାସ୍ହାର ୯୬.୩୭ ପ୍ରତିଶତ ଥିବାବେଳେ ଛାତ୍ରମାନଙ୍କ ପାସ୍ହାର ୯୪.୨୯ ପ୍ରତିଶତ ରହିଛି।
ଏହିବର୍ଷ ଏ-୧ ଗ୍ରେଡ୍ରେ ମୋଟ ୨୪୫୬ ଜଣ ଛାତ୍ରଛାତ୍ରୀ ସଫଳତା ହାସଲ କରିଛନ୍ତି। ସେଥିରୁ ୧୨୭୬ ଜଣ ଛାତ୍ରୀ ଓ ୧୧୭୭ ଜଣ ଛାତ୍ର ଅଛନ୍ତି। ଗତବର୍ଷ ଏ-୧ ଗ୍ରେଡ୍ରେ ୧୮୧୨ ଜଣ ଥିବାବେଳେ ଏବର୍ଷ ସେହି ସଂଖ୍ୟା ବଢ଼ିଛି।
ଚଳିତ ବର୍ଷ ୫ ଲକ୍ଷ ୪୪ ହଜାର ୬୭୦ ଜଣ ଫର୍ମ ପୂରଣ କରିଥିଲେ। ସେଥିରୁ ୫ ଲକ୍ଷ ୩୬ ହଜାର ୩୦୬ ଜଣ ପରୀକ୍ଷା ଦେଇଥିଲେ। ପରୀକ୍ଷାରେ ଏ-୨ ଗ୍ରେଡ୍ରେ ୧୫,୬୮୧ ଜଣ, ବି-୧ ଗ୍ରେଡ୍ରେ ୪୩,୫୬୫ ଜଣ, ବି-୨ ଗ୍ରେଡ୍ରେ ୮୬,୧୦୩ ଜଣ, ସି ଗ୍ରେଡ୍ରେ ୧,୨୯,୮୧୩ ଜଣ, ଡି ଗ୍ରେଡ୍ରେ ୧,୪୬,୧୫୨ ଜଣ ଓ ଇ ଗ୍ରେଡ୍ରେ ୯୫,୪୮୧ ଜଣ ପାସ୍ କରିଛନ୍ତି।
ରାଜ୍ୟର ୩୩୧୦ଟି ବିଦ୍ୟାଳୟରେ ଶତପ୍ରତିଶତ ଫଳାଫଳ ଆସିଥିବାବେଳେ ୩ଟି ବିଦ୍ୟାଳୟରୁ କେହି ପାସ୍ କରିପାରିନାହାନ୍ତି। ଜିଲ୍ଲା ଭିତ୍ତିକ ଫଳାଫଳରେ ଗଜପତି ଜିଲ୍ଲା ୯୯.୩୧ ପ୍ରତିଶତ ସହ ପ୍ରଥମ ସ୍ଥାନରେ ରହିଛି। ଗଞ୍ଜାମ ୯୮.୨୫ ପ୍ରତିଶତ ଓ କନ୍ଧମାଳ ୯୮.୧୭ ପ୍ରତିଶତ ସହ ପରବର୍ତ୍ତୀ ସ୍ଥାନରେ ଅଛନ୍ତି।
ଏ-୧ ଗ୍ରେଡ୍ ପାଇଥିବା ଛାତ୍ରଛାତ୍ରୀଙ୍କ ସଂଖ୍ୟାରେ ବାଲେଶ୍ୱର ଜିଲ୍ଲା ୩୦୫ ସହ ପ୍ରଥମ ସ୍ଥାନରେ ରହିଛି। ଗଞ୍ଜାମରୁ ୩୦୪ ଓ କଟକରୁ ୨୮୫ ଜଣ ଏ-୧ ଗ୍ରେଡ୍ ପାଇଛନ୍ତି।
ଏହିବର୍ଷ କୌଣସି ଛାତ୍ରଛାତ୍ରୀଙ୍କ ବିରୋଧରେ ମାଲପ୍ରାକ୍ଟିସ୍ ମାମଲା ହୋଇନାହିଁ। କାହାରି ଫଳାଫଳ ୱିଥ୍ହେଲ୍ଡ ମଧ୍ୟ କରାଯାଇନାହିଁ।
ପ୍ରଥମଥର ପାଇଁ ଏବର୍ଷ ଛାତ୍ରଛାତ୍ରୀମାନେ ଓଡ଼ିଆ ଓ ଇଂରାଜୀ ଭାଷାରେ ସାର୍ଟିଫିକେଟ୍ ପାଇବେ। ଯେଉଁମାନେ ନମ୍ବରକୁ ନେଇ ସନ୍ଦେହରେ ଅଛନ୍ତି, ସେମାନେ ରି-ଚେକିଂ ଓ ରି-ଆଡିସନ୍ ପାଇଁ ଆବେଦନ କରିପାରିବେ। ଏନେଇ ବୋର୍ଡ ପକ୍ଷରୁ ୪ ମେ’ରେ ସୂଚନା ଜାରି ହେବ। ସପ୍ଲିମେଣ୍ଟାରି ପରୀକ୍ଷା ପାଇଁ ଫର୍ମପୂରଣ ୮ ମେ’ରୁ ଆରମ୍ଭ ହୋଇ ୧୮ ମେ’ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ପ୍ରଥମ ସପ୍ତାହରେ ସପ୍ଲିମେଣ୍ଟାରି ପରୀକ୍ଷା ହେବ।
