୩୦ କିମିରୁ ଅଧିକ ଦୂରରୁ ରୋଗୀ ଆଣିପାରୁନି ୧୦୮ ଆମ୍ବୁଲାନ୍ସ, ଗ୍ରାମାଞ୍ଚଳରେ ବଢ଼ୁଛି ସମସ୍ୟା

୩୦ କିମିରୁ ଅଧିକ ଦୂରରୁ ରୋଗୀ ଆଣିପାରୁନି ୧୦୮ ଆମ୍ବୁଲାନ୍ସ, ଗ୍ରାମାଞ୍ଚଳରେ ବଢ଼ୁଛି ସମସ୍ୟା

ଭୁବନେଶ୍ୱର, ୧୮ ମଇ: ରାଜ୍ୟରେ ଜରୁରୀ ରୋଗୀ ପରିବହନ ସେବାର ମୁଖ୍ୟ ଭରସା ଭାବେ ପରିଚିତ ୧୦୮ ଆମ୍ବୁଲାନ୍ସ ସେବାକୁ ନେଇ ନୂଆ ତଥ୍ୟ ସାମ୍ନାକୁ ଆସିଛି। ନୂତନ ନିୟମ ଅନୁଯାୟୀ, ୩୦ କିଲୋମିଟରରୁ ଅଧିକ ଦୂରରୁ ରୋଗୀଙ୍କୁ ଆଣିବା ପାଇଁ ଆମ୍ବୁଲାନ୍ସକୁ ଅନୁମତି ମିଳୁନାହିଁ। ଏହି କଟକଣା ଯୋଗୁଁ ବିଶେଷ କରି ଅପହଞ୍ଚ ଓ ଗ୍ରାମାଞ୍ଚଳର ରୋଗୀମାନେ ଗୁରୁତର ସମସ୍ୟାର ସମ୍ମୁଖୀନ ହେଉଛନ୍ତି

ସୂଚନା ଅନୁସାରେ, ରୋଗୀଙ୍କ ନିକଟକୁ ଆମ୍ବୁଲାନ୍ସ ଶୀଘ୍ର ପହଞ୍ଚିବାକୁ ନେଇ “ରେସ୍‌ପନ୍ସ ସମୟ”କୁ ଅଧ ଘଣ୍ଟାରୁ କମାଇ ୨୦ ମିନିଟ କରାଯାଇଛି। ଏହା ଫଳରେ ଦୂରସ୍ଥ ଅଞ୍ଚଳକୁ ଯାଇ ରୋଗୀ ଆଣିବାରେ ସମୟ ବେଶି ଲାଗୁଥିବାରୁ ୩୦ କିମିରୁ ଅଧିକ ଦୂରତାର କଲ୍‌ଗୁଡ଼ିକୁ ବହୁ କ୍ଷେତ୍ରରେ ବାତିଲ କରାଯାଉଛି

ସହରାଞ୍ଚଳରେ ଏହାର ପ୍ରଭାବ କମ୍‌ ଥିଲେ ମଧ୍ୟ ଗ୍ରାମାଞ୍ଚଳ ଓ ଦୁର୍ଗମ ଅଞ୍ଚଳରେ ଏହି ନିୟମ ଅନେକ ରୋଗୀଙ୍କ ପାଇଁ ଅସୁବିଧା ସୃଷ୍ଟି କରୁଛି। କେବଳ ୧୦୮ ନୁହେଁ, ୧୦୨ ଜନନୀ ଏକ୍ସପ୍ରେସ୍‌ ସେବାରେ ମଧ୍ୟ ଏହି ସମସ୍ୟା ଦେଖାଦେଇଛି

ରାଜ୍ୟରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା ପରିବର୍ତ୍ତନ ପରେ ସରକାର ନୂତନ ଆରଏଫ୍‌ପି (ରିକ୍ଵେଷ୍ଟ ଫର୍ ପ୍ରପୋଜାଲ୍‌) ଜାରି କରିଥିଲେ। ସେଥିରେ ସ୍ପଷ୍ଟ କରାଯାଇଥିଲା ଯେ, ୩୦ କିମିରୁ ଅଧିକ ଦୂରକୁ ଯାଇ ରୋଗୀ ଆଣିଲେ ସେବା ପ୍ରଦାନକାରୀ ସଂସ୍ଥାକୁ ଅର୍ଥ ପ୍ରଦାନ କରାଯିବ ନାହିଁ। ଏହି କାରଣରୁ ଅନେକ ଆମ୍ବୁଲାନ୍ସ କେବଳ ୩୦ କିମି ଭିତରର କଲ୍‌କୁ ଗ୍ରହଣ କରୁଛନ୍ତି

ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ, ଗତବର୍ଷ ମେ ମାସରୁ ଚଳିତବର୍ଷ ଏପ୍ରିଲ ପର୍ଯ୍ୟନ୍ତ କେବଳ ଏହି କାରଣରୁ ୧୦୮ ଓ ୧୦୨ ଆମ୍ବୁଲାନ୍ସ ପକ୍ଷରୁ ୨ ଲକ୍ଷରୁ ଅଧିକ କଲ୍‌ ବାତିଲ ହୋଇଛି। କେନ୍ଦୁଝରରେ ସର୍ବାଧିକ ୨୨ ହଜାର କଲ୍‌ ବାତିଲ ହୋଇଥିବାବେଳେ ମୟୂରଭଞ୍ଜରେ ୨୧ ହଜାର, ବାଲେଶ୍ୱରରେ ୧୯ ହଜାର, ପୁରୀରେ ୮ ହଜାର, ଖୋର୍ଦ୍ଧାରେ ୬ ହଜାର ଓ ଗଜପତିରେ ପ୍ରାୟ ୧୫ ଶହ କଲ୍‌ ବାତିଲ ହୋଇଥିବା ସୂଚନା ମିଳିଛି

ଏହି କଟକଣା ଯୋଗୁଁ ଗରିବ ଓ ଅସହାୟ ରୋଗୀମାନେ ବିନା ମୂଲ୍ୟରେ ହସ୍ପିଟାଲକୁ ଯାଇପାରୁନାହାନ୍ତି। ବାଧ୍ୟ ହୋଇ ସେମାନେ ଘରୋଇ ଆମ୍ବୁଲାନ୍ସ ଉପରେ ନିର୍ଭର କରୁଛନ୍ତି କିମ୍ବା ଚିକିତ୍ସା ପାଇଁ ଘରେ ଅପେକ୍ଷା କରୁଛନ୍ତି। କେତେକ ଘଟଣାରେ ରୋଗୀଙ୍କ ଘର ୩୦ କିମି ଭିତରେ ଥିଲେ ମଧ୍ୟ ରାସ୍ତା ଅବରୋଧ କିମ୍ବା ଅନ୍ୟ କାରଣରୁ ଆମ୍ବୁଲାନ୍ସକୁ ଅଧିକ ଦୂର ଘୁଞ୍ଚି ଯିବାକୁ ପଡ଼ୁଛି। ତଥାପି ସେହି ଅତିରିକ୍ତ ଦୂରତା ପାଇଁ ପରିଚାଳନା ସଂସ୍ଥାକୁ ଅର୍ଥ ମିଳୁନାହିଁ

ଏହି କାରଣରୁ ପରିଚାଳନା ସଂସ୍ଥାମାନେ ୩୦ରୁ ୩୫ କିମି ମଧ୍ୟରେ ଥିବା ରୋଗୀଙ୍କୁ ମଧ୍ୟ ନେବାରେ ଅନାଗ୍ରହ ଦେଖାଉଥିବା ଅଭିଯୋଗ ହେଉଛି

ସ୍ୱାସ୍ଥ୍ୟ ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ, ରେସ୍‌ପନ୍ସ ସମୟକୁ ୨୦ ମିନିଟ ମଧ୍ୟରେ ରଖିବା ପାଇଁ ଏହି ନିୟମ ଆଣାଯାଇଛି। ତଥାପି ଜରୁରୀ ଅବସ୍ଥାରେ ୨ରୁ ୪ କିମି ଅଧିକ ଦୂରତା ହେଲେ ମଧ୍ୟ ଆମ୍ବୁଲାନ୍ସ ପଠାଯାଉଛି। କେତେକ ଜିଲ୍ଲାରେ ସମସ୍ୟା ଥିବାକୁ ସେ ସ୍ୱୀକାର କରିଥିଲେ

ଅଧିକାରୀଙ୍କ କହିବା ଅନୁସାରେ, ଓଡ଼ିଶାରେ ପ୍ରତି ୩୭ ହଜାର ଲୋକଙ୍କ ପାଇଁ ଗୋଟିଏ ୧୦୮ କିମ୍ବା ୧୦୨ ଆମ୍ବୁଲାନ୍ସ ରହିଛି, ଯାହା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶିକାଠାରୁ ଭଲ ଅବସ୍ଥାରେ ଅଛି। ତଥାପି ଅନେକ ଜିଲ୍ଲାରୁ ଅଧିକ ଆମ୍ବୁଲାନ୍ସ ଦାବି ଆସୁଥିବା କୁହାଯାଇଛି ଏହି ବିଷୟରେ ୧୦୮ ଆମ୍ବୁଲାନ୍ସ ପରିଚାଳନା ସଂସ୍ଥା “ଏମଆଇ ଗ୍ରୀନ୍‌ ହେଲ୍‌ଥ ସର୍ଭିସେସ୍‌” ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ

Leave a Reply

Your email address will not be published. Required fields are marked *